‘ ଅଳସୁଆମି ’ ବୁଦ୍ଧିମାନ ଲୋକଙ୍କ ଲକ୍ଷଣ!

131

ସାଧାରଣତଃ କଥାରେ ଅଛି ଅଳସୁଆ ସବୁବେଳେ ଦୁଃଖ ପାଇଥାଏ | ମାତ୍ର ସତରେ କ’ଣ ଅଳସୁଆମାନେ ଦୁଃଖ ପାଆନ୍ତି ? ଅଳସୁଆ ହେବା କ’ଣ ପ୍ରକୃତରେ ଖରାପ ? କେତେ ଦିନର ଗବେଷଣା ପରେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି କିଛି ବୈଜ୍ଞାନିକ | ସେମାନଙ୍କ ମତରେ ଅଳସୁଆ ହେବା କିଛି ଖରାପ ଲକ୍ଷଣ ନୁହେଁ | ବରଂ ଏହା ବୁଦ୍ଧିମାନ ଲୋକଙ୍କ ଲକ୍ଷଣ | ଅର୍ଥାତ ଯେଉଁମାନେ ଅଧିକ ବୁଦ୍ଧିସମ୍ପନ୍ନ , ସେମାନେ ହିଁ ଅଳସୁଆ ହୋଇଥାନ୍ତି | ଅନ୍ୟ ପଟରେ କମ୍ ବୁଦ୍ଧି ଥିବା ଲୋକ ବେଶୀ ସକ୍ରିୟ ହୋଇଥାନ୍ତି |

           ଆମେରିକାର ଫ୍ଲୋରିଡା ଗଲ୍ଫ କୋଷ୍ଟ ୟୁନିଭରସିଟିର ଗବେଷକମାନେ ଏହି ବିଷୟରେ ଅଧ୍ୟୟନ କରିଥିଲେ | ସେମାନେ ଏଥିପାଇଁ ୬୦ ଜଣ ଲୋକଙ୍କ ଉପରେ ଗବେଷଣା କରିଥିଲେ | ଏମାନଙ୍କ ମଧ୍ୟରୁ ୩୦ ଜଣ ଚିନ୍ତାଶୀଳ ଲୋକ ହୋଇଥିବା ବେଳେ ବାକି ୩୦ ଜଣ କେବେହେଲେ ଚିନ୍ତା କରନ୍ତି ନାହିଁ ଏବଂ ଅଧିକ ସମୟ ନିଜକୁ କାର୍ଯ୍ୟବ୍ୟସ୍ତ ରଖିଥାନ୍ତି | ସେମାନଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ କୁହାଗଲା ଏବଂ ଏଥିପାଇଁ ଏକ ସପ୍ତାହ ସମୟ ଦିଆଗଲା | ଏକ ସପ୍ତାହକ ପାଇଁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର କଚଟିରେ କିଛି ଉପକରଣ ସଂଯୁକ୍ତ କରାଗଲା |

      ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ଏଭଳି ଥିଲା –

(୧) କିଛି ସମସ୍ୟାର ନୂଆ ସମାଧାନ ଖୋଜିବାକୁ ଦିଆଗଲେ ମୁଁ ବହୁତ ଖୁସି କି ?

(୨) ମୁଁ କ’ଣ କେବଳ ସେତିକି ଚିନ୍ତା କରେ ଯେତିକି ମୋର କରିବା ଦରକାର ?

     ସପ୍ତାହକ ପରେ ଦେଖାଗଲା ଯେ ଯେଉଁମାନେ ଚିନ୍ତାଶୀଳ ବ୍ୟକ୍ତି ସେମାନେ ପ୍ରଶ୍ନଗୁଡିକର ଉତ୍ତର ଦେବାପାଇଁ ଅଧିକ ସମୟ ଚିନ୍ତା କରିବାରେ ବିନିଯୋଗ କରିଛନ୍ତି | ମାତ୍ର ଅନ୍ୟମାନେ ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ ଖୁବ୍ କମ୍ ସମୟ ଦେଇ ଅଲଗା ସମୟରେ ନିଜକୁ କାର୍ଯ୍ୟବ୍ୟସ୍ତ ରଖିଥିଲେ |

        ତେଣୁ ଗବେଷକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ପ୍ରକୃତରେ ଅଧିକ ଧୀ ସମ୍ପନ୍ନ ବ୍ୟକ୍ତି କୌଣସି କାର୍ଯ୍ୟ କଲାବେଳେ ଶୀଘ୍ର ବୋର୍ ହୋଇଯାନ୍ତି | ତେଣୁ ସେମାନେ ବହୁତ୍ ସମୟ ଚିନ୍ତା କରିବାରେ ବିନିଯୋଗ କରନ୍ତି | କିନ୍ତୁ କମ୍ ବୁଦ୍ଧିମାନ ବ୍ୟକ୍ତି ନିଜକୁ ସବୁବେଳେ ସକ୍ରିୟ ଦେଖାଇବାକୁ ପ୍ରୟାସ କରିଥାନ୍ତି | ସେମାନେ ଅଧିକ ସମୟ ଚିନ୍ତା କରିବାକୁ ପସନ୍ଦ କରନ୍ତି ନାହିଁ | ତେଣୁ ନିଜକୁ ସବୁବେଳେ ବାହ୍ୟକାର୍ଯ୍ୟରେ ବ୍ୟସ୍ତ ରଖିବାକୁ ଉଦ୍ୟମ କରିଥାନ୍ତି |

Leave A Reply

Your email address will not be published.