ଏ ଯୁଗର କୃଷ୍ଣ ସୁଦାମା

29

ଆଜ୍ଞ୍ୟା ଏଇଟା ରାଜେଶ୍ ବାବୁଙ୍କ ଘର ନା ? ମୁଁ ତାଙ୍କୁ ଦେଖା କରିବା ପାଇଁ ଆସିଛି, ତାଙ୍କୁ କୁହ ତୁମ ବନ୍ଧୁ ଆସିଛନ୍ତି । ସିକ୍ୟୁରିଟି ଗାର୍ଡ ଲୋକଟିକୁ ଉପରୁ ତଳ ପର୍ଯ୍ୟନ୍ତ ନୀରେକ୍ଷି ଦେଖିଲା ଓ ତାର ଚେହେରା ଦେଖି ହସିବାକୁ ଲାଗିଲା ।

ଆରେ ଭାଇ ଯାଅ, ଯାଅ ତୁମ କାମ କର । ସକାଳୁ ସକାଳୁ ଥଟ୍ଟା ମଜ୍ଜା କରିବା ପାଇଁ କଣ କେହି ମିଳିଲେ ନାହିଁ ? ଜାଣିଛ କି ନାହିଁ ଏଇଟା ଡେପୁଟି ମାଜିଷ୍ଟ୍ରେଟଙ୍କ ବଙ୍ଗଳା ।
ମୁଁ ସତ କହୁଛି ଭାଇ । ଗତକାଲି ଖବର କାଗଜରେ ମୋର ବନ୍ଧୁ ରାଜେଶର ଫଟୋ ଦେଖିଲି, ସେତେବେଳେ ମୁଁ ମୋ ପିଲାଦିନର ବନ୍ଧୁକୁ ଚିହ୍ନି ପାରିଲି । ଠିକଣା ପଚାରି ପଚାରି ଏଠାରେ ପହଞ୍ଚିଲି, ବାସ୍ ଥରେ ମୋ ନାମ ଯାଇ ମୋର ବନ୍ଧୁଙ୍କୁ କୁହ…..।

ଆରେ, ତୁ ଏଠୁ ଯିବୁ ନା ବଡ ଅଫିସରକୁ ଡାକିବି । ଦଣ୍ଡାରେ ଦୁଇ ପାହାର ବସିଗଲେ ପାଗଳାମି ଛାଡିଯିବ । ନିଜ ନାମ କହିବା ପୂର୍ବରୁ ସିକ୍ୟୁରିଟି ଗାର୍ଡ ବିରକ୍ତ ହୋଇ ଗାଳି କରିଥିଲା ।

ହରିଆ କୌଣସି ଉପାୟ ନପାଇ ନିଜ ଥକ୍କାପଣ ମେଣ୍ଟାଇବା ପାଇଁ ପାଖରେ ଥିବା ଏକ ବୃକ୍ଷ ତଳେ ଆରାମ କଲା । ପାଞ୍ଚ ମିନିଟ୍ ଚୁପ୍ ହୋଈ ବସିବା ପରେ ଶେଷ ଆଶା ନେଇ ସିକ୍ୟୁରିଟି ଗାର୍ଡ ନିକଟକୁ ଆସି ବିନତୀ କଲା ।
ଆଜ୍ଞ୍ୟା ମୋର ଗୋଟେ କାମ କରିଦେବ ? ଏ ପଲଥିନ୍ ଡେପୁଟି ସାହାବଙ୍କ ନିକଟରେ ପହଞ୍ଚାଇ ପାରିବ ? ଡେପୁଟି ସାହେବ୍ ପଲଥିନ୍ ଦେଖି ବୁଝି ପାରିବେ ଓ ତୁମର ମଙ୍ଗଳ ହେବ ।
ସିକ୍ୟୁରିଟି ଗାର୍ଡ କିଛି ଚିନ୍ତା କରିବା ପରେ ହରିଆ ହାତରୁ ପଲଥିନ୍ ନେଇ ଯାଞ୍ଚ କଲା ଓ କୌଣସି ସନ୍ଧିଗ୍ଧ ବସ୍ତୁ ସେ ପାଇଲା ନାହିଁ । ସିକ୍ୟୁରିଟି ଗାର୍ଡ ହରିଆକୁ ଆଶ୍ବସନା ଦେଇ ଗଛ ଛାଇରେ ବସିବା ପାଇଁ କହି ଡେପୁଟି ସାହେବଙ୍କ ନିକଟକୁ ଇଣ୍ଟରକମ ରେ ଯୋଗାଯୋଗ କଲା ।

ଡେପୁଟି ସାହେବ୍ ଆଜି ଘରେ ଛୁଟିରେ ଥିଲେ ଓ ସେ ସିକ୍ୟୁରିଟି ଗାର୍ଡର କଥା ଧ୍ୟାନ ଦେଇ ଶୁଣିଲେ । କିଛି ସମୟ ମଧ୍ୟରେ ସିକ୍ୟୁରିଟି ଗାର୍ଡ ଡେପୁଟି ସାହେବଙ୍କ ଆଦେଶ ପାଇ ପଲଥିନ୍ ଭିତରକୁ ପଠାଇଲା । ସାହେବ୍ ପଲଥିନ୍ ଖୋଲି ଦେଖିଲେ ଏକ କପଡାରେ ଚାରିପଟ ବାଜରା ରୁଟି ଓ ଆଚାର ବନ୍ଧା ହୋଇଥିଲା । ଚମକି ପଡିଲେ ଡେପୁଟି ସାହେବ୍, ରୁଟିରୁ ଖଣ୍ଡେ ଛିଣ୍ଡାଇ ମୁହଁରେ ଭରିବା ମାତ୍ରେ ତାଙ୍କ ଚେହେରାରେ ଏକ ଅପୁର୍ବ ଚମକ ଖେଳିଗଲା । ଏହି ରୁଟି ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ମୋ ସହିତ ପଢୁଥିବା ମୋର ଅନ୍ତରଙ୍ଗ ବନ୍ଧୁ ହରିଆ ଆଣୁଥିଲା ଏବଂ ମୁଁ ତା ପାଖରୁ ସବୁ ଖାଇବା ପରେ ମୋର ବଟର ସ୍ୟାଣ୍ଡଓ୍ବିଚ୍ ତା ହାତରେ ଧରେଇ ଦେଉଥିଲି । ରାଜେଶ୍ ବାବୁ ଭାବୁଥିଲେ କେତେ ସ୍ବାଭିମାନି, ସଚ୍ଚୋଟ ଓ ସରଳ ସେ ଥିଲା । ଗରିବ ଥିଲା ସତ କିନ୍ତୁ କେବେ ମୋ ସାହାଯ୍ୟ ସ୍ବୀକାର କରୁନଥିଲା । ଶୀତଦିନେ ଥଣ୍ଡାରେ ଥରୁଥିଲେ ମଧ୍ୟ ମୋ ସ୍ବେଟର କେବେ ବି ଗ୍ରହଣ କରୁନଥିଲା । ଅଷ୍ଟମ ଶ୍ରେଣି ପରେ ଆଉ କେବେ ତା ସହିତ ଭେଟ ହୋଇନାହିଁ । କିଛିଦିନ ପରେ ଶୁଣିବାକୁ ମିଳିଲା ଦାଦନ ଖଟିବା ପାଇଁ ତାର ବାପା ସହିତ ଅନ୍ୟତ୍ର ଏକ ସହରକୁ ଚାଲି ଯାଇଛି । କଣ ବାହାରେ ଅପେକ୍ଷା କରିଥିବା ଲୋକଟି ମୋ ପିଲାଦିନର ବନ୍ଧୁ ହରିଆ ହୋଇପାରେ ?

ଡେପୁଟି ରାଜେଶ ବାବୁ ତୁରନ୍ତ ହରିଆକୁ ଭିତରକୁ ଡକାଇଲେ । ପିଲାଦିନର ଦୁଇ ବନ୍ଧୁ ଏତେ ବର୍ଷ ପରେ ଦେଖିବା ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ଖୁସିରେ ଲୁହ ଝରାଉଥିଲେ । ପୁନଶ୍ଚ ଆଉଥରେ କୃଷ୍ଣ ଓ ସୁଦାମାଙ୍କ ମିଳନ ପୃଥିବୀ ପୃଷ୍ଠରେ ହେଉଥିଲା । ଯେତେବେଳେ ଦୁହିଁକ ମନ ହାଲକା ହେଲା ଅତୀତ ଓ ବର୍ତ୍ତମାନର ସମସ୍ତ ଘଟଣା ବଳି ଦୁହେଁ ଦୁହିଁକୁ ବାଜରା ରୁଟି ଓ ଚଟଣି ସହିତ ସେୟାର କଲେ । କିନ୍ତୁ ଦୁହିଁକ ମନରେ ଏକ ପ୍ରକାରର ଦ୍ବନ୍ଦ ଚାଲୁଥିଲା । କଣ ମୁଁ ଏକ ଉଚ୍ଚ ପଦସ୍ଥ ଅଫିସର ଜାଣିବା ପରେ ହରିଆ କୌଣସି ସାହାଯ୍ୟ ଆଶାରେ ଆସିନାହିଁ ତ ? ନଚେତ୍ ଏତେ ବର୍ଷ ପରେ ଦେଖା କରିବା ପାଇଁ ଆସିବା କଥାଟା ଟିକେ ଅପ୍ରିତିକର ।

ହରିଆ ନିଜ ଫଟା ପଞ୍ଜାବିକୁ ବାରମ୍ବାର ଲୁଚାଇବା ପାଇଁ ଚେଷ୍ଟା କରୁଥିଲା । କାଳେ ରାଜେଶ୍ ଆଜି ବି ତାର ଗରିବ ଅସହାୟ ଅବସ୍ଥା ଦେଖି କିଛି ସାହାଯ୍ୟ ଦେବା ପାଈଁ ଆଗ୍ରହ କରିବ, ସେ ତ କେବଳ ନିଜ ପିଲାଦିନର ବନ୍ଧୁକୁ ଦେଖା କରିବାକୁ ଆସିଛି ଓ ତାର ଭଲମନ୍ଦ ବୁଝି ଫେରିଯିବ ।

Leave A Reply

Your email address will not be published.