ମା ବାରମ୍ବାର ପଛରୁ ଡାକୁଥିଲା କିଛି ଖାଇକରି ଯା

9

ସେଦିନ ସକାଳୁ ବିନା କାରଣରେ ମା ସହିତ ଝଗଡା ହୋଇଗଲା । ମୁଁ ସକାଳୁ କିଛି ନଖାଇ ନପିଇ ଘରୁ ଅଫିସ୍ ବାହାରିଗଲି । ମା ବାରମ୍ବାର ପଛରୁ ଡାକୁଥିଲା କିଛି ଖାଇକରି ଯା । କିନ୍ତୁ ମୁଁ ପଛକୁ ଫେରି ଚାହିଁନଥିଲି । ବସରେ ଅଫିସ୍ ଯାଉଥିବା ସମୟରେ ଭାବୁଥିଲି ମୁଁ ଆଉ ଏତେ ଛୋଟ ହୋଇନାହିଁ ଯେ ମା ସବୁକଥାରେ ତାଗିଦ୍ କରୁଥିବ । ଆଉ ଚଳି ହେବନାହିଁ ମା ପାଖରେ । ନିଜେ ରୋଜଗାର କଲିଣି କିନ୍ତୁ ନିଜର ବୋଲି କିଛି ସ୍ବାଧୀନତା ନାହିଁ । ଗତକାଲି ରାତି ଏଗାରଟାରେ ଘରକୁ ଫେରିଥିବାରୁ ମା ପାଟିକରି ପଚାରିଥିଲେ ଏପର୍ଯ୍ୟନ୍ତ କେଉଁଠି ଥିଲୁ ? ଏ କଥାକୁ ନେଇ ମା ଓ ମୋ ଭିତରେ ଝଗଡା ହୋଇଗଲା । ପରେ ରାତିରେ କିଛି ନଖାଇ ମୁଁ ଶୋଇପଡିଲି । ବହୁତ ବଢିଆ ବିଦେଶ ସଂସ୍କୃତି, କେହି କାହା ସ୍ବାଧୀନତାରେ ବାଧା ଦେବେ ନାହିଁ ।

ଅଫିସରେ ପହଞ୍ଚି କିଛି ଜଳଖିଆ କିଣି ଖାଇଲି । ଦିନତମାମ୍ ଅଫିସ୍ କାମରେ ବ୍ୟସ୍ତ ହୋଇଗଲି । ମା ବହୁତ ଥର ଫୋନ୍ କରିଥିଲେ ମଧ୍ୟ ମୁଁ ବାରମ୍ବାର କାଟି ଦେଉଥିଲି । କାହିଁକି କଥା ହେବି, କଣ ପାଇଁ କଥା ହେବି ଦରକାର ନାହିଁ କାହାର ପ୍ରବଚନ ଶୁଣିବା । କିଛି କାମ ନଥିଲେ ମଧ୍ୟ ଜାଣିଶୁଣି ଅଫିସରେ ବସିରହିଲି ଅନେକ ସମୟ ପର୍ଯ୍ୟନ୍ତ । ଯାହା ବି ହେଉ ରାତି ଏଗାରଟାରେ ଘରକୁ ଫେରିଲି । ଘରେ ପହଞ୍ଚିବା ପରେ ଦେଖିଲି ସଦର ଦରଜାରେ ଚାବି ପଡିଥିଲା । ରାତି ଏଗାରଟାରେ ଘରେ ଚାବି ପଡିବା କଥା କିଛି ହଜମ ହେଲାନାହିଁ ।

ପଡୋଶୀ ମହାପାତ୍ର ବାବୁଙ୍କୁ ପଚାରି ବୁଝିଲି ଯେ ହଠାତ୍ ମା ପେଟ କାଟିବାରୁ କିଛି ଲୋକ ତାକୁ ଡାକ୍ତରଖାନା ନେଇଯାଇଛନ୍ତି । ମୋର ପାଦତଳୁ ମାଟି ଖସି ପଡୁଥିଲା । ଆଉ ମୁହୁର୍ତ୍ତେ ବିଳମ୍ବ ନକରି ସିଧା ଯାଇ ପହଞ୍ଚିଲି ସହରର ମୁଖ୍ୟ ଡାକ୍ତରଖାନାରେ । ମା ସାମାନ୍ୟ ଠିକ୍ ହୋଇସାରିଥିଲା । ଡାକ୍ତର କହିଲେ ତୁମ ମା ଦୁଇଦିନ ହେଲା କିଛି ଖାଇନାହାନ୍ତି । ମୋର ମନେ ପଡିଗଲା ମୁଁ ଦୁଇଦିନ ହେଲା କିଛି ଖାଇନଥିଲି । ସେଥିପାଇଁ ମା ବି କିଛି ଖାଇନଥିଲା । ମୋତେ ସେ ଖାଇବାକୁ ଦେବା ପରେ ସେ ଖାଉଥିଲା । ଦୁଇଦିନ ହେଲା ମୁଁ ଘରେ ନଖାଇଲେ ମଧ୍ୟ ହୋଟେଲରେ ଖାଇଦେଉଥିଲି ହେଲେ ମା ମୋ ଫେରିବା ବାଟକୁ ଚାହିଁରହୁଥିଲା । ମୁଁ ନଖାଇ ଶୋଇପଡୁଥିଲି ଓ ସେ ବି କିଛି ନଖାଇ ଶୋଇପଡୁଥିଲା । କେବେ ବୁଝିବାକୁ ଚେଷ୍ଟା କରିିନଥିଲି ସେ ଖାଇଛି କି ନାହିଁ ?
ମୁଁ ଅନୁତାପ ନିଆଁରେ ଜଳୁଥିଲି ଓ ନିଜ ଭୁଲ୍ ବୁଝିପାରିଥିଲି।

Leave A Reply

Your email address will not be published.